ମୁମ୍ଵାଇ ୧୦।୦୭; ବେଟିଂ ଆପ୍ ସ୍କାମ। ୨୯ ଜଣ ସେଲିବ୍ରିଟିଙ୍କ ସହ ୟୁଟ୍ୟୁବର ଓ ଇନଷ୍ଟାଗ୍ରାମ ଇନ୍ଫ୍ଲୁଏନ୍ସର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲା ରୁଜୁ। ହାଇଦ୍ରାବାଦର ସାଇବରାବାଦ ପୋଲିସ ପକ୍ଷରୁ ଏଫଆଇଆର ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାମଲା ରୁଜୁ ହୋଇଛି। ସେମାନଙ୍କ ସମସ୍ତଙ୍କ ଉପରେ ବେଆଇନ ବେଟିଂ ଆପ୍ ପ୍ରୋତ୍ସାହନ ଦେବାର ଅଭିଯୋଗ ଅଛି। ଏହି ମାମଲାରେ ଯେଉଁମାନଙ୍କ ନାମରେ ଏଫଆଇଆର ରୁଜୁ ହୋଇଛି ସେମାନେ ହେଲେ ଅଭିନେତା ବିଜୟ ଦେବରକୋଣ୍ଡା, ରାଣା ଡଗୁବତୀ, ମଧୁ ଲକ୍ଷ୍ମୀ, ପ୍ରକାଶ ରାଜ୍ ନିଧି ଅଗ୍ରୱାଲ, ଅନନ୍ୟା ନଗଲ୍ଲା ଓ ଟେଲିଭିଜନ ତାରକା ଶ୍ରୀମୁଖୀ। ଏହି ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କିତ ଆର୍ଥିକ କାରବାର ଓ ଡିଜିଟାଲ ସମ୍ପର୍କିତ ତଥ୍ୟର ଖୋଳତାଡ଼ା କରାଯାଉଛି।
ମିଆପୁର ବ୍ୟବସାୟୀ ଫଣିନ୍ଦ୍ର ଶର୍ମାଙ୍କ ଅଭିଯୋଗରୁ ମାମଲା ଆରମ୍ଭ ହୋଇଥିଲା। ସେ ଅଭିଯୋଗ କରିଥିଲେ ଯେ ଅନେକ ବଡ଼ ଫିଲ୍ମ ଚେହେରା ଏବଂ ସୋସିଆଲ ମିଡିଆ ଷ୍ଟାର ଏହି ବେଟିଂ ଆପ୍ ଆଡକୁ ଲୋକଙ୍କୁ ଟାଣି ନେଉଛନ୍ତି। ସେ କହିଥିଲେ ଯେ ଏପରି ଆପ୍ ଯୋଗୁଁ ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ବହୁତ କଷ୍ଟ ପାଉଛନ୍ତି। ଏହି ଅଭିଯୋଗ ପରେ, ସାଇବରାବାଦ ପୋଲିସ ୧୯ ମାର୍ଚ୍ଚ ୨୦୨୫ ରେ ୨୫ ଜଣ ସେଲିବ୍ରିଟିଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।
ଇଡି ଏହି ମାମଲାରେ କରୁଛି ପଚରାଉଚରା
ବର୍ତ୍ତମାନ ଇଡି ଏହି ସମ୍ପୂର୍ଣ୍ଣ ମାମଲାରେ ପିଏମଏଲଏ ଅଧୀନରେ ଏହାର ECIR ପଞ୍ଜୀକୃତ କରିଛି। ଇଡି ବର୍ତ୍ତମାନ ଏହି ସମସ୍ତ ଷ୍ଟାର ଏବଂ ଇନଫ୍ଲୁଏନ୍ସରଙ୍କୁ ପଚରାଉଚରା କରୁଛି ଯେ ସେମାନେ ପ୍ରମୋସନରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ। ସେମାନେ କିପରି ପେମେଣ୍ଟ ପାଇଥିଲେ ଏବଂ ଟିକସ ବିବରଣୀ କ’ଣ। ତଦନ୍ତରୁ ଜଣାପଡିଛି ଯେ ଏହି ଆପ୍ସ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କାରବାର କରାଯାଇଛି। ଏହି ଆପ୍ସ ଯୁବପିଢିଙ୍କୁ ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରଲୋଭିତ କରିଥାଏ। କିନ୍ତୁ ପରେ ଲୋକମାନେ ଆର୍ଥିକ ଏବଂ ମାନସିକ ଭାବରେ ଭାଙ୍ଗି ପଡ଼ନ୍ତି। ମାମଲାର ତଦନ୍ତ ଚାଲିଛି।